ଆଜି ରାଜଧାନୀ ଭୁବନେଶ୍ୱର ଜନ୍ମଦିନ

ଆଜି ରାଜଧାନୀ ଭୁବନେଶ୍ୱର ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ ଆଜିର ଦିନରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ଆଜିର ଦିନରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା ରାଜଧାନୀ ପ୍ରତିଷ୍ଠା ଫଳକ।ସମୟ ସହିତ ତାଳ ଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର ଚିତ୍ରକଳ୍ପ। ବିକାଶ ଧାରାରେ ସାମିଲ ହୋଇ ଦେଶର ୧ନମ୍ବର ସ୍ମାର୍ଟସିଟିର ମାନ୍ୟତା ହାସଲ କରିଛି । ସହରର ଆକାର ବଢିବା ସହ ୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ । ପୂର୍ବରୁ ଏହାର ଜନସଂଖ୍ୟା ୧୫ ହଜାର ଥିବାବେଳେ ଏହା ଏବେ ୧୫ ଲକ୍ଷରେ ପହଞ୍ଚିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ଭୁବନେଶ୍ବରର ବିକାଶ ଜାରି ରହିଛି । ସହରରେ ଆଜି ଯୁଆଡେ ଚାହିଁବ ସିଆଡେ ନଭଶଚୁମ୍ବି ଅଟ୍ଟାଳିକାମାନ ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ୬ଟି ୟୁନିଟ ଗଠନ ହେବା ସହ ପୁରୁଣା ଭୁବନେଶ୍ୱରକୁ ଏକ ବିଜ୍ଞାପିତ ଅଞ୍ଚଳ କରିବାକୁ ମଧ୍ୟ ଯୋଜନା କରାଯାଇଥିଲା । ଏହି ଯୋଜନାକୁ ଓଡ଼ିଶା ସହର ଯୋଜନା ଆଇନ ୧୯୫୬ ଅନୁସାରେ ଅନୁମୋଦନ ମିଳିଥିଲା । ଏଥିପାଇଁ ସ୍ୱତନ୍ତ୍ର ଭାବେ ଜଣେ ଯୋଜନା ଅଧିକାରୀ ମଧ୍ୟ ନିଯୁକ୍ତ କରାଯାଇଥିଲା । କ୍ରମଶଃ ଭୁବନେଶ୍ୱରର ଜନସଂଖ୍ୟା ବୃଦ୍ଧି ପାଇବାରୁ ଏଠାରେ ମ୍ୟୁନିସିପାଲଟି ଗଠିତ ହେଲା । ପରେ ଭୁବନେଶ୍ବର ମ୍ୟୁନିସିପାଲଟି ସହ ଖୋର୍ଦ୍ଧା ଓ ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ମିଶାଇ ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା ବା ବ୍ରିଟ ଗଠନ କରାଗଲା । ପରବର୍ତ୍ତୀ ସମୟରେ ଏହି ଅଞ୍ଚଳ ସହ ନିକଟସ୍ଥ ଗାଁଗୁଡିକର ସମିଶ୍ରଣ କରାଯାଇ ଗଠିତ ହେଲା ଭୁବନେଶ୍ୱର ଉନ୍ନୟନ ସଂସ୍ଥା ବା ବିଡିଏ ।ଏଠାରେ ଥିବା ଶତାଧିକ ମନ୍ଦିର ଏହାକୁ ମନ୍ଦିରମାଳିନୀ ସହର ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଓଡ଼ିଶାର ଏହି ପୁରାତନ ସହରରେ ପୂର୍ବରୁ ଚେଦି ବଂଶର ରାଜାମାନେ ଶାସନ କରୁଥିଲେ ବୋଲି ଇତିହାସ ରହିଛି ।
What's Your Reaction?






