ଛାତିଥରା ବାହାନଗା ରେଳ ଦୁର୍ଘଟଣାକୁ ବ‌ର୍ଷେ: ଗୋଟିଏ ଝଟ୍‌କାରେ ଗଲା ୨୯୬ ଜୀବନ

Jun 2, 2024 - 09:10
 0  8
ଛାତିଥରା ବାହାନଗା ରେଳ ଦୁର୍ଘଟଣାକୁ ବ‌ର୍ଷେ: ଗୋଟିଏ ଝଟ୍‌କାରେ ଗଲା ୨୯୬ ଜୀବନ

ସବୁଦିନ ଭଳି ୨୦୨୩ ମସିହା ଜୁନ୍‌ ୨ ତାରିଖରେ କୋଲକାତାର ଶାଲିମାର ନିକଟରୁ ଚେନ୍ନାଇ ଅଭିମୁଖେ ବାହାରିଥିଲା ସୁପରଫାଷ୍ଟ କରମଣ୍ଡଳ ଏକ୍ସପ୍ରେସ୍‌ (ଗାଡ଼ି ନଂ ୧୨୮୪୧)। ବାହାନଗା ବଜାର ରେଳ ଷ୍ଟେସନରୁ ସବୁଜ ସଙ୍କେତ ପାଇ ଅପ୍‌ ମେନ୍‌ ଲାଇନ୍‌ରେ ଘଣ୍ଟାକୁ ୧୨୮ କିଲୋମିଟର ବେଗରେ ଦୌଡ଼ୁଥିଲା ଟ୍ରେନ୍‌। ଏହି ସମୟରେ ଡାଉନ୍‌ ମେନ୍‌ ଲାଇନ୍‌ରେ ଭଦ୍ରକ ପଟୁ ୧୨୬ କିଲୋମିଟର ବେଗରେ ଛୁଟି ଆସିଥିଲା ବେଙ୍ଗାଲୁରୁ-ହାୱଡା ଯଶବନ୍ତ ଏକ୍ସପ୍ରେସ୍‌ ( ଗାଡ଼ି ନଂ ୧୨୮୬୪)। ଉଭୟ ଟ୍ରେନ୍‌ର ଏହି ଷ୍ଟେସନରେ ରହଣି ନଥିବାରୁ ଟ୍ରେନ୍‌ର ବେଗ ମଧ୍ୟ ସର୍ବାଧିକ ଥିଲା। ଉଭୟ ଟ୍ରେନ୍‌ରେ ଥିଲେ ୩ ହଜାରୁ ଅଧିକ ଯାତ୍ରୀ। ସନ୍ଧ୍ୟା ସମୟ ହୋଇଥିବାରୁ ଯାତ୍ରୀମାନେ ପରସ୍ପର ମଧ୍ୟରେ ଖୁସିଗପରେ ମାତିଥିଲେ। ତେବେ ହଠାତ୍‌ ନିଜ ଟ୍ରାକ୍‌ ପରିବର୍ତ୍ତନ କରି ଦେଇଥିଲା କରମଣ୍ଡଳ। ଅପ୍‌ ମେନ୍‌ ଲାଇନ୍‌ରେ ସିଧାଯିବାର ଥିଲେ ମଧ୍ୟ କରମଣ୍ଡଳ ହଠାତ୍‌ ଅପ୍‌ ଲୁପ୍‌ ଲାଇନ୍‌ରେ ମାଡ଼ି ଯାଇଥିଲା। ତେବେ ପୂର୍ବରୁ ଉକ୍ତ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ଲୁହାପଥର ବୋଝେଇ ମାଲ୍‌ବାହୀ ଟ୍ରେନ୍‌କୁ ଦେଖି ଆପାତକାଳୀନ ବ୍ରେକ୍‌ କଷିଥିଲେ କରମଣ୍ଡଳର ଲୋକୋ ପାଇଲଟ୍‌। ହେଲେ ଟ୍ରେନ୍‌ର ବେଗ ଅଧିକ ଥିବାରୁ ବ୍ରେକ୍‌ କାମ ଦେଇନଥିଲା। ମାଲ୍‌ବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେବା ପରେ କରମଣ୍ଡଳର ୨୧ଟି ବଗି ଲାଇନ୍‌ଚ୍ୟୁତ ହୋଇ ତାସ୍‌ ଘର ପରି ଗଡ଼ି ପଡ଼ିଥିଲା ଓ ଇଞ୍ଜିନ୍‌ଟି ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା। ଦୁର୍ଭାଗ୍ୟକୁ କରମଣ୍ଡଳର ୩ଟି ବଗି ସମାନ୍ତରାଳ ଟ୍ରାକ୍‌ରେ ଯାଉଥିବା ବେଙ୍ଗାଲୁରୁ-ହାୱଡା ଯଶବନ୍ତ ଏକ୍ସପ୍ରେସ୍‌ର ଶେଷ ଭାଗରେ ଧକ୍କା ଖାଇଥିଲା। ଫଳରେ ଉକ୍ତ ଟ୍ରେନ୍‌ର ଶେଷରେ ଥିବା ୨ଟି ଯାତ୍ରୀବାହୀ ଅଣସଂରକ୍ଷିତ ବଗି ଓ ଗାର୍ଡ ବଗି ମଧ୍ୟ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ତେବେ ଏହି ଟ୍ରେନ୍‌ର ଇଞ୍ଜିନ୍‌ ସହ ବାକି ୨୦ ବଗି ସେତେବେଳକୁ ସୁରକ୍ଷିତ ଭାବେ କରମଣ୍ଡଳକୁ ଅତିକ୍ରମ କରି ଯାଇଥିଲା। ଦୁର୍ଘଟଣା ପରେ ଉକ୍ତ ଟ୍ରେନ୍‌ ୨୦ଟି ବଗି ସହ ବାଲେଶ୍ବର ଷ୍ଟେସନ୍‌ ଅଭିମୁଖେ ଯାତ୍ରା କରିଥିଲା। ବାଲେଶ୍ବର ଷ୍ଟେସନରେ ଗୋଟିଏ ସାମାନ୍ୟ କ୍ଷତିଗ୍ରସ୍ତ ବଗିକୁ ଛାଡ଼ି ଅବଶିଷ୍ଟ ୧୯ ବଗି ସହ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌। ହେଲେ ପଛରେ ଛ‌ାଡ଼ି ଯାଇଥିଲା କୁଢ଼କୁଢ଼ ଶବ।

ଏହି ଦୁର୍ଘଟଣା ପାଇଁ ୨ ଦିନ ଧରି ଉକ୍ତ ରୁଟ୍‌ରେ ୪୮ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ୩୯ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରିଥିଲା ରେଳବିଭାଗ। ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସ୍‌ର ଇଞ୍ଜିନ୍, ପାର୍ସଲ୍‌ ଭ୍ୟାନ୍‌ ସହ ୨ଟି ସାଧାରଣ ବଗି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଅଣସଂରକ୍ଷିତ ବଗିରେ ଟିକେଟ୍‌ ଦାମ କମ୍‌ ହୋଇଥିବ‌ାରୁ ଉକ୍ତ ୨ଟି ବଗିରେ ଅଧିକ ଗହଳି ଥିଲା। ଏଥିରେ ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକ ଥିଲେ। ଯେଉଁମାନେ କାମଧନ୍ଦା ପାଇଁ ବିହାର, ପଶ୍ଚିମବଙ୍ଗ, ଓଡ଼ିଶାରୁ ଚେନ୍ନାଇ ଯାଉଥିଲେ। ଦୁର୍ଘଟଣାରେ ମୋଟ ୨୯୬ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଓଡ଼ିଶା ପୁଲିସ ସମେତ ସ୍ଥାନୀୟ ଅଞ୍ଚଳର ଶହଶହ ସ୍ବେଚ୍ଛାସେବୀ ୨ ଦିନ ଧରି ଅଖିଆଅପିଆ ଉଦ୍ଧାର କାର୍ଯ୍ୟ‌ରେ ଲାଗିଥିଲେ। ପ୍ରାୟ ୮୦ରୁ ଅଧିକ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ବାଲେଶ୍ବର, ଭଦ୍ରକ, ସୋର, କଟକ ବଡ଼ ଡାକ୍ତରଖାନା, ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲା ଓ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଆହତଙ୍କୁ ରକ୍ତ ଦେବା ପାଇଁ ବିଭିନ୍ନ ଡାକ୍ତରଖାନାରେ ସାଧାରଣ ଲୋକଙ୍କର ଧାଡ଼ି ଲାଗିଥିଲା। ଏତେବଡ଼ ବିପର୍ଯ୍ୟୟ ସମୟରେ ଓଡ଼ିଆ ଲୋକମାନଙ୍କର ଏହି ମଣିଷପଣିଆ ସାରା ଦେଶ ପାଇଁ ଉଦାହରଣ ସାଜିଥିଲା।

ଏପଟେ ଦୁର୍ଘଟଣାରେ ଚୂର୍‌ମାର୍‌ ହୋଇ ଯାଇଥିବା କରମଣ୍ଡଳର ବଗି ଭିତରୁ ଉଦ୍ଧାର ହୋଇଥିବା କ୍ଷତବିକ୍ଷକ୍ତ ମୃତଦେହଗୁଡ଼ିକୁ ଚିହ୍ନଟ ପାଇଁ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ଦୁର୍ଘଟଣା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ତାମିଲନାଡ଼ୁ ସରକାରଙ୍କ ୨ ଜଣ ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ମୃତାହତଙ୍କ ପରିବାରକୁ ଭେଟିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ୧ ହଜାରୁ ଅଧିକ କର୍ମଚାରୀଙ୍କ ୫୧ ଘଣ୍ଟାର ମରାମତି କାର୍ଯ୍ୟ ପରେ ଉକ୍ତ ରୁଟ୍‌ରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ଜୁନ୍‌ ୫ ତାରିଖ ଅପରାହ୍ନରେ ଏହି ଟ୍ରାକ୍‌ରେ ଗଡ଼ିଥିଲା ପ୍ରଥମ ଯାତ୍ରୀବାହୀ ଟ୍ରେନ୍‌। ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗା ବଜାର ଷ୍ଟେସନ‌ରେ ଉପସ୍ଥିତ ରହି ଉକ୍ତ ଟ୍ରେନକୁ ସବୁଜ ପତାକା ଦେଖାଇଥିଲେ। ତେବେ ଦୁର୍ଘଟଣା ପରେ ମୃତଦେହ ଚିହ୍ନଟ ବେଳର ଦୃଶ୍ୟ ଥିଲା ଦାରୁଣ ଓ ହୃଦୟବିଦାରକ। ବାହାନଗା ହାଇସ୍କୁଲରେ ପଡ଼ିଥିବା କୁଢ଼କୁଢ଼ ଶବ ଭିତରେ ନିଜ ପ୍ରିୟ ପରିଜନକୁ ଖୋଜୁଥିଲେ ପରିବାର ଲୋକ। ହେଲେ ଅଧିକାଂଶ ମୃତଦେହ ଚିହ୍ନଟ ହେବା ସ୍ଥିତିରେ ନଥିଲା। ଦେହର ପୋଷାକ, ପାଖରେ ପଡ଼ିଥିବ‌ା ବ୍ୟାଗ୍‌, ପକେଟ୍‌ରେ ଥିବା ପର୍ସ ଓ ମୋବାଇଲ୍‌ ଦେଖି ଅଧିକାଂଶ ମୃତ‌ଦେହ ଚିହ୍ନଟ କରାଯାଇଥିଲା। ରେଳ ବିଭାଗ ନିକଟରେ ଅଣସଂରକ୍ଷିତ ବର୍ଗର ବଗିରେ ଯାଉଥିବା ଯାତ୍ରୀଙ୍କ ସୂଚନା ରହୁନଥିବାରୁ ମୃତକଙ୍କ ପରିଚୟ ମିଳିବା କଷ୍ଟକର ହୋଇଥିଲା। ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ୧୦ ଲକ୍ଷ ଓ ପ୍ରଧାନମନ୍ତ୍ରୀ ରିଲିଫ ପ‌ାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଥିଲା। ତେବେ ଏହି ସହାୟତା ରାଶି ହଡ଼ପ ପାଇଁ କିଛି ଲୋକ ମିଛରେ ନିଜକୁ ମୃତକଙ୍କ ପରିଜନର ପରିଚୟ ଦେଇ ଶବ ନେବାକୁ ଉଦ୍ୟମ କରିବା ଘଟଣା ସଭ୍ୟ ସମାଜକୁ ଲଜ୍ଜିତ କରିଥିଲା।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯୬ ଜଣଙ୍କ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର ଲୋକ ଅଧିକ ଥିଲେ। ଅଧିକାଂଶ ମୃତଦେହ ଚିହ୍ନଟ ଅବସ୍ଥାରେ ନଥିବାରୁ ପରବର୍ତ୍ତୀ ସମୟରେ ଡିଏନ୍‌ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ଏମ୍‌ସ ଭୁବନେଶ୍ବର ଦ୍ବାରା ଏହି କାର୍ଯ୍ୟ କରାଯାଇଥିଲା। ଦୁର୍ଘଟଣାର ୩ ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ମୋଟ ୨୬୮ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ୨୮ ଜଣଙ୍କ ମୃତଦେହର କେହି ଦାବିଦାର ଆସିନଥିଲେ। ଶେଷରେ ଏମ୍‌ସରେ ସଂରକ୍ଷିତ ଥିବା ଏହି ଅଜଣା ମୃତଦେହ ସବୁକୁ ଭୁବନେଶ୍ବର ମହାନଗର ନିଗମ ଦ୍ବାରା ୨୦୨୩ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଗଣସଂସ୍କାର କରାଯାଇଥିଲା। ଦୁର୍ଘଟଣା ପଛର କାରଣ ଖୋଜିବାକୁ ରେଳବାଇ ପକ୍ଷରୁ ଗଠିତ ହୋଇଥିଲା ସ୍ବତନ୍ତ୍ର ଟିମ୍‌। ଦୁର୍ଘଟଣା ରୋକିବା ପାଇଁ ଉଦ୍ଦିଷ୍ଟ ‘କବଚ’ ବ୍ୟବସ୍ଥା ଏହି ‌ରେଳ ରୁଟ୍‌ରେ ଲାଗୁ ହୋଇନଥିଲା ବୋଲି ସ୍ପଷ୍ଟ କରିଥିଲା ରେଳ ବିଭାଗ। ଏହାଛଡ଼ା ଦୁର୍ଘଟଣାର ୬ ମାସ ପୂର୍ବରୁ ୨ ଥର ଏଠାରେ ସିଗ୍‌ନାଲ ସିଷ୍ଟମରେ ତ୍ରୁଟି ଠାବ କରାଯାଇଥିଲା। ୨୦୨୩ ଫେବ୍ରୁଆରି ମାସରେ ଏହି ରୁଟ୍‌ରେ କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ବୋଲି ଦକ୍ଷିଣ-ପୂର୍ବ ରେଳ ଡିଭିଜନ୍‌ର ଜଣେ ବରିଷ୍ଠ ଅଧିକାରୀ କୁଆଡ଼େ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏହି ତ୍ରୁଟିକୁ ତୁରନ୍ତ ସଜାଡ଼ିବାକୁ ସେ ସଜାଗ ମଧ୍ୟ କରିଥିଲେ। ହେଲେ କୌଣସି କାରଣରୁ ଏହି ବିପଦକୁ ଅଣଦେଖା କରିଥିଲେ କର୍ତ୍ତୃପକ୍ଷ। ଘଟଣାର ୨ ଦିନ ପରେ ଜୁନ୍‌ ୪ ତାରିଖରେ ଇଲେକ୍ଟ୍ରୋନିକ୍‌ ସିଗ୍‌ନାଲ୍‌ ଓ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା କହିଥିଲେ ରେଳମନ୍ତ୍ରୀ। ପରେ ସିବିଆଇକୁ ଘଟଣାର ତଦନ୍ତ ଭାର ଦିଆଯାଇଥିଲା। ରେଳ ସୁରକ୍ଷା କମିସନ୍‌ (ସିଆର୍‌ଏସ୍‌) ମଧ୍ୟ ଘଟଣାର ସମ‌ାନ୍ତରାଳ ତଦନ୍ତ କରିଥିଲେ। ୨୦୨୩ ଜୁଲାଇ ୭ ତାରିଖରେ ସିବିଆଇ ଏହି ଘଟଣାରେ ଜଣେ ‌ଟେକ୍‌ନିସିଆନ୍‌ ଓ ୨ ଜଣ ସିଗ୍‌ନାଲ୍‌ ଇଞ୍ଜିନିୟରଙ୍କୁ ଗିରଫ କରି ସେମାନଙ୍କ ବି‌ରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା, ଯାହା ଏବେ ଅଦାଲତରେ ବିଚାରାଧୀନ ରହିଛି।

What's Your Reaction?

like

dislike

love

funny

angry

sad

wow