ପାକିସ୍ତାନକୁ ହରାଇ ଚମ୍ପିଆନ୍ ହେଲା ଭାରତ

Dec 5, 2024 - 16:24
 0  3
ପାକିସ୍ତାନକୁ ହରାଇ ଚମ୍ପିଆନ୍ ହେଲା ଭାରତ

ଓମାନର ମସ୍କଟରେ ଅନୁଷ୍ଠିତ ଜୁନିୟର ଏସିଆ କପ୍‌ ହକି ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରି କ୍ରମାଗତ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ଗତ ସଂସ୍କରଣର ଚାମ୍ପିୟନ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଅରାଇଜିତ ସିଂ ହୁଣ୍ଡାଲ ଏକାକୀ ୪ ଗୋଲ ସ୍କୋର କରିଥିଲେ। ପାକିସ୍ତାନ ପକ୍ଷରୁ ସୁଫ୍ୟାଁ ଖାନ୍‌ (୩୦ ଓ ୩୯)ରେ ଡବଲ୍‌ ଗୋଲ୍‌ ଦେଇଥିବା ବେଳେ ହନ୍ନନ ଶାହିଦ୍‌(୩) ମିନିଟରେ ଅନ୍ୟ ଗୋଲଟି ଦେଇଥିଲେ।ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରୁ ଉଭୟ ଦଳ କରିଥିଲେ ଆକ୍ରମଣାତ୍ମକ ପ୍ରଦର୍ଶନ। ମ୍ୟାଚ୍‌ର ତୃତୀୟ ମିନିଟରେ ହନ୍ନନ ଶାହିଦ୍‌  ଦେଇଥିଲେ ଏକ ଗୋଲ। ଏହାର ୧ ମିନିଟ ମଧ୍ୟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିବା ବେଳେ ଏହାକୁ ଗୋଲରେ ପରିଣତ କରିଥିଲେ ଅରାଇଜିତ। ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟ କ୍ୱାର୍ଟରର ୧୮ ତମ ମିନିଟରେ ଅରାଇଜିତ ଓ ୧୯ ତମ ମିନିଟରେ ଦିଲରାଜ ସ୍କୋର କରି ଭାରତକୁ ୩-୧ରେ ଆଗୁଆ କରିଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା ଗତ ସଂସ୍କରଣର ରନରଅପ୍‌ ପାକିସ୍ତାନ। ସୁଫ୍ୟାଁ ଖାନ୍‌ ପେନାଲ୍ଟି କର୍ନରରୁ ଦୁଇଟି ଗୋଲ ଦେବା ସହିତ ମ୍ୟାଚ୍‌କୁ  ଆଣିଥିଲେ ସମାନ୍ତର ସ୍ଥିତିକୁ। ତେବେ ଅନ୍ତିମ କ୍ୱାର୍ଟରରେ ଭାରତୀୟ ଦଳ ଚମତ୍କାର ଆଟାକ ଓ ଡିଫେନ୍ସର ନମୂନା ପ୍ରଦର୍ଶନ କରିଥିଲା। ଭାରତୀୟ ଦଳ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ପାକିସ୍ତାନର ଏକାଧିକ ପ୍ରୟାସକୁ କରି ଦେଇଥିଲା ନିଷ୍ଫଳ। ଅରାଇଜିତ ୪୭ ତମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ଭାରତୀୟ ଅଗ୍ରଣୀକୁ ୪-୩ରେ ପହଞ୍ଚାଇ ଥିଲେ। ଏହାର ୭ ମିନିଟ ପରେ ଭାରତକୁ ପେନାଲ୍ଟି କର୍ନର ମିଳିଥିବା ବେଳେ ବ୍ୟକ୍ତିଗତ ଚତୁର୍ଥ ଗୋଲ ସ୍କୋର କରିଥିଲେ ଅରାଇଜିତ୍‌। ଲଗାତାର ଦ୍ୱିତୀୟ ଥର ଟାଇଟଲ କରାୟତ କରିଥିବା ଭାରତର ଏହା ପଞ୍ଚମ ଟାଇଟଲ୍‌।

What's Your Reaction?

like

dislike

love

funny

angry

sad

wow