ମଙ୍ଗଳବାର ଶେଷ ହୋଇଛି ଟି୨୦ ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟ

ଟି୨୦ ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନିକୋଲାସ୍ ପୁରନଙ୍କ ୯୮ ରନ୍ ବଳରେ ଆଫଗାନିସ୍ତାନକୁ ୧୦୪ ରନ୍ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮ ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ ୧୬.୨ ଓଭରରେ ୧୧୪ ରନ୍ରେ ସମସ୍ତ ଉଇକେଟ ହରାଇଥିଲା। ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍ ୨୨ ରନ୍ରେ ପ୍ରଥମ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ଜନ୍ସନ ଚାଲର୍ସ(୪୩) ଓ ନିକୋଲାସ ପୁରନ(୯୮) ଦ୍ୱିତୀୟ ଉଇକେଟରେ ୮୦ ରନ୍ ଯୋଡିଥିଲେ। ପୁରନ୍ ଧୂଆଁଧାର ବ୍ୟାଟିଂ କରି ୫୩ ବଲ୍ ଖେଳି ୬ ଚୌକା ଓ ୮ ଛକା ମାରିଥିଲେ। ମାତ୍ର ୨ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିବା ବେଳେ ଦୁର୍ଭାଗ୍ୟଜନକ ଭାବରେ ରନ୍ଆଉଟ ହୋଇଥିଲେ। ଶେଷ ଆଡକୁ ଶାଇ ହୋପ୍ ୨୫ ଓ ରୋଭମାନ ପାଓ୍ବେଲ ୨୬ ରନ୍ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ ୨, ନବୀନ ଉଲ୍ ହକ୍ ଓ ଅଜମତଉଲ୍ଲା ଓମାରଜାଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୁରନ୍ ଏହି ଇନିଂସରେ ଅଜମତଉଲ୍ଲା ଓମାରଜାଇ ବୋଲିଂ କରିଥିବା ଓଭରରୁ ୩୬ ରନ୍ ସଂଗ୍ରହ କରିଥିଲେ। ୧୦ ଅତିରିକ୍ତ ରନ୍ ଆସିଥିଲେ ମଧ୍ୟ ଟି୨୦ ଇତିହାସର ପଞ୍ଚମ ବୋଲର ଭାବରେ ଏଭଳି ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି ଓମାରଜାଇ। ୨୧୯ ରନ୍ ବିଜୟ ଲକ୍ଷ୍ୟରେ ଆଫଗାନିସ୍ତାନ ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ଇନ ଫର୍ମ ରେହମାନଉଲ୍ଲା ଗୁରବାଜଙ୍କ ଉଇକେଟ ହରାଇଥିଲା। ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ଆଫଗାନିସ୍ତାନ ୧୧୪ ରନ୍ରେ ଅଲଆଉଟ ହୋଇଥିଲା। ଇବ୍ରାହିମ୍ ଜଦ୍ରାନ ଦଳ ପକ୍ଷରୁ ସର୍ବାଧିକ ୩୮ ରନ୍ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜମତଉଲ୍ଳା ଓମାରଜାଇ ୨୩ ଓ ରଶିଦ୍ ଖାନ୍ ୧୮ ରନ୍ କରିଥିଲେ। ଓବେଡ୍ ମ୍ୟାକୟ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକିଲ ହୋସେନ,ଗୁଡାକେଶ ମୋତି ଦୁଇଟି, ଆନ୍ଦ୍ରେ ରସେଲ, ଅଲଜାରି ଯୋଶେଫ୍ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ନିକୋଲାସ ପୁରନଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା।
What's Your Reaction?






