ଖାଦ୍ୟ ଅନ୍ୱେଷଣରେ ଅମାପ ଦୂରତ୍ୱ ଅତିକ୍ରମ କରିଥାଆନ୍ତି ପଶୁ ପକ୍ଷୀ

May 31, 2024 - 14:36
 0  15
ଖାଦ୍ୟ ଅନ୍ୱେଷଣରେ ଅମାପ ଦୂରତ୍ୱ ଅତିକ୍ରମ କରିଥାଆନ୍ତି ପଶୁ ପକ୍ଷୀ

ସମୟାନୁସାରେ ପଶୁପକ୍ଷୀମାନେ ନୂତନ ଖାଦ୍ୟ ସମ୍ବଳ ଓ ଉପଯୋଗୀ ପରିବେଶ ଅନ୍ବେଷଣ କରି  ପରିବର୍ତ୍ତନ କରିଥା’ନ୍ତି  ବାସସ୍ଥାନ। ନାନା ଜାତି ପ୍ରଜାତିର କୀଟପତଙ୍ଗ ଠାରୁ ଆରମ୍ଭ କରି ସ୍ତନ୍ୟପାୟୀ ପ୍ରାଣୀଙ୍କ ଯାଏ ଏହି ସ୍ଥାନାନ୍ତର ପ୍ରକ୍ରିୟା ସେମାନଙ୍କର ଅସ୍ତିତ୍ବ ଓ ପ୍ରଜାତିର ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। ଅଧିକାଂଶ ସମୟରେ ଋତୁ ପରିବର୍ତ୍ତନ ଉପରେ ନିର୍ଭର କରୁଥିବା  ବିଭିନ୍ନ ପ୍ରଜାତି ପାଇଁ ଭିନ୍ନ ଭିନ୍ନ ଧରଣର ହୋଇଥାଏ  ଏହି ସ୍ଥାନାନ୍ତରଣ । ସେମାନେ ସୁଦକ୍ଷ ଯାଯାବର ସାଜି ନିଜର ରକ୍ଷଣାବେକ୍ଷଣ ଓ ଆଦର୍ଶ ବାସସ୍ଥାନ ଅନୁସରଣରେ ପ୍ରାକୃତିକ ଦୁନିଆର ଜଟିଳ ମାନଚିତ୍ରକୁ ଠଉରେଇ ପାରିଥା’ନ୍ତି ଠିକ୍ ଭାବରେ । ପୁଷ୍ଟିକର ଖାଦ୍ୟ ବଣ୍ଟନ, ପରାଗଣ, ମଞ୍ଜି ବିଚ୍ଛୁରଣ ସମେତ ପ୍ରାକୃତିକ ଶିକାର ଓ ଶିକାରୀଙ୍କ ଜନବସତିକୁ ଆହାର ଦେଉଥିବା ସୂକ୍ଷ୍ମ ସନ୍ତୁଳନରେ ପ୍ରାଣୀ ସ୍ଥାନାନ୍ତରଣ ନେଇଥାଏ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ଜାଣିବା ସହସ୍ର କୋଶର ପଥ ଅତିକ୍ରମ କରୁଥିବା ସେଭଳି କିଛି ପ୍ରାଣୀଙ୍କ ସମ୍ପର୍କରେ । ପ୍ରବାସ ଯାତ୍ରାର ଦୂରତା ଦୃଷ୍ଟିରୁ ‘ଆର୍କଟିକ୍ ଟର୍ଣ୍ଣ’ ନାମକ ଏକ କ୍ଷୁଦ୍ର ସାମୁଦ୍ରିକ ପକ୍ଷୀ ରହିଛି ଶୀର୍ଷ ସ୍ଥାନରେ। ମେରୁ ଓ ଉପମେରୁ ଅଞ୍ଚଳରେ ବସବାସ କରୁଥିବା ଏହି ପକ୍ଷୀର ଓଜନ ପ୍ରାୟ ୮୬ରୁ ୧୨୭ ଗ୍ରାମ୍। ପ୍ରତିବର୍ଷ ସେମାନେ ପ୍ରଜନନ ପାଇଁ ଗ୍ରିନ୍ଲାଣ୍ଡ୍ ଓ ଆଇସ୍ଲାଣ୍ଡରୁ ହାରାହାରି ୭୦,୯୦୦ କିଲୋମିଟର ଅତିକ୍ରମ କରି ଆଣ୍ଟାର୍କଟିକାରେ ପହଞ୍ଚିଥା’ନ୍ତି ବୋଲି ଜଣାପଡ଼ିଛି ଏକ ସଦ୍ୟ ଅନୁଧ୍ୟାନରୁ । ସେହିପରି ପ୍ରଜନନ ଋତୁ ଆସିଲେ ‘ ସ୍କାଣ୍ଡିନେଭିଆରୁ ପ୍ରାୟ ୨୯,୦୦୦ କି.ମି. ଉଡ଼ି ଆସି ଆଲାସ୍କାରେ ପହଞ୍ଚୁ ଫେରି ଯାଇଥାଏ ବାର-ଟେଲ୍ଡ ଗଡ୍ବିଟ୍’ ନାମକ ଏକ ପକ୍ଷୀ । କାଲିଫର୍ଣ୍ଣିଆ ଉପକୂଳରେ ଦେଖାଯାଉଥିବା ‘ଗ୍ରେ ହ୍ବେଲ୍’ ପ୍ରଜାତିର ତିମିମାଛ ୧୬,୦୦୦ କି.ମି.ରୁ ୨୨,୦୦୦ କି.ମି. ଯାଏ କରିଥାଏ ଅତିକ୍ରମ। ଉତ୍ତର ପ୍ରଶାନ୍ତ ମହାସାଗରରେ ନିଜର ଗରିମାମୟ ଉପସ୍ଥିତି ପାଇଁ ଖ୍ୟାତ ‘କୁବ୍ଜା ତିମି’ ବା ‘ହମ୍ପବ୍ୟାକ୍ ହ୍ବେଲ’ ଉତ୍ତମ ଖାଦ୍ୟଭଣ୍ଡାର ଓ ସୁରକ୍ଷିତ ପ୍ରଜନନସ୍ଥଳୀ ମଧ୍ୟରେ ସ୍ଥାନାନ୍ତର ପାଇଁ ପ୍ରାୟ ୧୬,୦୦୦ କି.ମି. କରିଥାଏ ଅତିକ୍ରମ । କାଲିଫର୍ଣ୍ଣିଆର ‘ଗ୍ରେଟ୍ ହ୍ବାଇଟ୍ ସାର୍କ’ ନଅ ମାସରେ ଅତିକ୍ରମ କରିଥାଏ ୨୦,୦୦୦ କି.ମି. ଦୂରତା, ଯାହାର କାରଣ ରହସ୍ୟମୟ ହୋଇ ରହିଛି  ଆଜି ପର୍ଯ୍ୟନ୍ତ । ‘ଲେଦରବ୍ୟାକ୍ ଟର୍ଟଲ୍’ ନାମକ ଏକ ପ୍ରଜାତିର ସାମୁଦ୍ରିକ କଇଁଛ ବିବିଧ ସାମୁଦ୍ରିକ ପରିବେଶ ଅନୁଯାୟୀ ପ୍ରାୟ ୧୦,୦୦୦ କି.ମି.ରୁ ୧୫,୦୦୦ କି.ମି. ଯାଏ କରିଥାଏ ସ୍ଥାନାନ୍ତରଣ ।ଆଣ୍ଟାର୍କଟିକାର ରସ୍ ସମୁଦ୍ର ଇଲାକାରେ ଦେଖାଯାଉଥିବା ‘ଆଡେଲ୍ ପେଙ୍ଗୁଇନ୍’ ପ୍ରଜନନ ପାଇଁ ସୂର୍ଯ୍ୟତାପ ଅନ୍ବେଷଣରେ ବର୍ଷକୁ ଅତିକ୍ରମ କରିଥାଏ ପ୍ରାୟ ୧୩,୦୦୦ କି.ମି.   । ‘ମୋନାର୍କ ବଟରଫ୍ଲାଏ’ ନାମକ ପତଙ୍ଗ ଗ୍ରୀଷ୍ମ ଓ ଶରତ ଋତୁରେ କେନ୍ଦ୍ରୀୟ ଆମେରିକା ଓ ଦକ୍ଷିଣ କାନାଡାରୁ ବାହାରି ପହଞ୍ଚିଥା’ନ୍ତି ଫ୍ଲୋରିଡା ଓ ମେକ୍ସିକୋରେ । ସେମାନଙ୍କର ହାରାହାରି ସ୍ଥାନାନ୍ତର ଦୂରତ
 ହୋଇଥାଏ  ୮,୦୫୦ କି.ମି. । ସେହିପରି ‘କଙ୍କି’ ବା ‘ଡ୍ରାଗନଫ୍ଲାଏ’ ପରି ପତଙ୍ଗ ଉୂପୃଷ୍ଠରୁ ୬,୩୦୦ ମିଟର ଉପରେ ଉଡ଼ିବାର ଦକ୍ଷତା ରଖିବା ସହ ୧୪,୦୦୦ କି.ମି.ରୁ ୧୮,୦୦୦ କି.ମି. ଯାଏ ଦୂରତା କରିଥାଏ ଅତିକ୍ରମ। ପୂର୍ବ ଆଫ୍ରିକାରେ ଦେଖାଯାଉଥିବା ‘ଵାଇଲ୍ଡବିଷ୍ଟ’ ନାମକ ଏକ ପ୍ରକାର ଗୟଳ ଜାତୀୟ ପ୍ରାଣୀ ବର୍ଷାଋତୁ ଆସିଲେ ଚରାଭୂଇଁ ଓ ଶୁଷ୍କ ଇଲାକା ଅନ୍ବେଷଣରେ ଦୀର୍ଘ ୧,୬୦୦ କି.ମି. ଯାଏ ଅତିକ୍ରମ କରିବାର ରହିଛି ନଜିର।

What's Your Reaction?

like

dislike

love

funny

angry

sad

wow