ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ସଂସଦ ଭବନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସେ ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କରିଥିଲେ ସ୍ୱାଗତ। ଏହାପରେ ମିଳିତ ଅଧିବଶେନକୁ ସମ୍ବୋଧିତ କରି ନବନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି।ସମ୍ବୋଧନ ସଭାରେ ଦେଶର ଗରିବୀଠୁ ନେଇ ଶିକ୍ଷା, ବିଜ୍ଞାନ, ବାଣିଜ୍ୟ ଓ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ। ଦେଶରେ ଗରିବୀ ଦୂର ହୋଇଛି, ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ଏଥିସହ ସେ କହିଛନ୍ତି ଯେ,ଦେଶରେ ବିଜୁଳି ବିଲ୍ ଶୂନ କରିବାକୁ ଯୋଜନା କରୁଛନ୍ତି ସରକାର।ସେହିପରି ଦେଶର ଉନ୍ନତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବିଷୟରେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି ଯେ, ଆଗକୁ ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଚାଲିଛି ଉଦ୍ୟମ। ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚଳାଯାଇଛି। ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।ନିର୍ବାଚନ କମିଶନକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହି ଆସୁଥିଲା। ଏଥର କିନ୍ତୁ ବିରାଟ ପରିବର୍ତ୍ତନ ଆସିଛି। ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କରିଛନ୍ତି। ଲୋକେ ଜାଣିଛନ୍ତି ମୋ ସରକାର ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବ। ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବା ସହ ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରତିଟି ଲୋକର ବିକାଶ ହୋଇପାରିଲେ ଏକ ବିକଶିତ ଭାରତ ସମ୍ଭବ ହେବ। ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି। ସରକାରଙ୍କ ସବୁ ଯୋଜନାର ସୁବିଧା ସମସ୍ତଙ୍କ ନିକଟରେ ପହଞ୍ଚାଯିବ।ସେହିପରି ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ଆଲୋଚନା କରିଛନ୍ତି ରାଷ୍ଟ୍ରପତି। ପେପର୍ ଲିକ୍ ମାମଲା ଉପରେ ନିରପେକ୍ଷ ଯାଞ୍ଚ କରାଯିବ ବୋଲି ରାଷ୍ଟ୍ରପତି କହିଛନ୍ତି। ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ରାଷ୍ଟ୍ରପତି।ଆମ ସରକାର କୃଷି ଉତ୍ପାଦ ପାଇଁ MSP(ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି କରିଛନ୍ତି। ବିଶ୍ୱରେ ଜୈବ ଉତ୍ପାଦର ଚାହିଦା ବୃଦ୍ଧି ପାଉଛି ଏବଂ ଭାରତୀୟ କୃଷକମାନେ ଏହି ଚାହିଦା ପୂରଣ କରିବାରେ ସକ୍ଷମ ବୋଲି ରାଷ୍ଟ୍ରପତି କହିଛନ୍ତି।ରାଷ୍ଟ୍ରପତି କହିଛନ୍ତି, "ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ମୋ ସରକାର ଦେଶର କୃଷକମାନଙ୍କୁ ୩.୨୦ ଲକ୍ଷ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ମୋ ସରକାରର ନୂତନ କାର୍ଯ୍ୟକାଳ ଆରମ୍ଭରୁ ୨୦,୦୦୦ କୋଟିରୁ ଅଧିକ ଟଙ୍କା କୃଷକଙ୍କୁ ହସ୍ତାନ୍ତର କରାଯାଇଛି। ଖରିଫ ଫସଲ ପାଇଁ MSPରେ ମଧ୍ୟ ରେକର୍ଡ ବୃଦ୍ଧି ଘଟିଛି।"ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଆଜିର ଭାରତ ଏହାର କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି। ପ୍ରାକୃତିକ ଚାଷ ତଥା ଆନୁଷଙ୍ଗିକ ଦ୍ରବ୍ୟର ଯୋଗାଣ ଶୃଙ୍ଖଳା(ଚେନ୍)କୁ ସରକାର ଏକୀଭୂତ କରୁଛନ୍ତି। ଭାରତ ସରକାରଙ୍କ ପଦକ୍ଷେପ ସ୍ୱରୂପ ଗତବର୍ଷ ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ମିଲେଟ ଦିବସ ପାଳନ କରିଛି।"ଗ୍ରାମକୁ ସଂଯୋଗ କରିବା ପାଇଁ ସରକାର 3.8 ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ କରିଛନ୍ତି। ସରକାର ମଧ୍ୟ ଉତ୍ତର ପୂର୍ବ ରାଜ୍ୟରେ ଶାନ୍ତି ସ୍ଥାପନା ପାଇଁ କାର୍ଯ୍ୟ କରୁଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଅନେକ ପୁରୁଣା ସମସ୍ୟାର ସମାଧାନ ହୋଇସାରିଛି ବୋଲି କହିଛନ୍ତି ରାଷ୍ଟ୍ରପତି।
What's Your Reaction?