ଦେଶରେ ଲାଗୁ ହେଲା ନୂଆ ଆଇନ,ପ୍ରଥମ ଏତଲା ଦାଏର

Jul 1, 2024 - 13:12
 0  2
ଦେଶରେ ଲାଗୁ ହେଲା ନୂଆ ଆଇନ,ପ୍ରଥମ ଏତଲା ଦାଏର

ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ। ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା ।ନୂଆ ନିୟମ ଅନୁଯାୟୀ,ଭାରତୀୟ ଦଣ୍ଡ ସଂହିତା ବା ଆଇପିସି, ଫୌଜଦାରି ଅପରାଧ ସଂହିତା ବା ସିଆର୍‌ପିସି ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ହୋଇଛି କାର୍ଯ୍ୟକାରୀ । ତେବେ  ଏହି ଆଇନ ଲାଗୁ ହେବା ପରେ ପ୍ରଥମେ ଭାରତୀୟ ନ୍ୟାୟ ସଂହିତା ଅଧିନରେ ରୁଜୁ ହୋଇଛି ଦିଲ୍ଲୀର ଏକ ମାମଲା ।ଦିଲ୍ଲୀର କମଳା ମାର୍କେଟରେ ଫୁଟ ଓଭରବ୍ରିଜ ଅବରୋଧ କରିଥିବା ଅଭିଯୋଗରେ ଜଣେ ଉଠା ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ନିଜେ ଥାନାର ସବ ଇନ୍ସପେକ୍ଟର ।ସୂଚନା ଅନୁଯାୟୀ, ଜଣେ ଉଠା ଦୋକାନୀ ନୂଆଦିଲ୍ଲୀ ରେଳ ଷ୍ଟେଶନ ନିକଟରେ ରାସ୍ତା ମଝିରେ ପାଣି ଏବଂ ଗୁଟଖା ବିକ୍ରି କରୁଥିଲେ। ଏହି କାରଣରୁ ଯାତାୟାତରେ ସୃଷ୍ଟି ହେଉଥିଲା ସମସ୍ୟା ।ଏହା ପରେ  ଏହି ବ୍ୟକ୍ତିଙ୍କ ବିରୋଧରେ ମାମଲା ପଞ୍ଜୀକରଣ କରିଥିଲା ପୋଲିସ ।ତେବେ ଏହି ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌ ଅର୍ଥାତ୍‌ ଯେକୌଣସି ଥାନାରେ ଏତଲା ଦାଏର କରାଯାଇପାରିବ। ଏପରିକି ଅନ୍‌ଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସ୍‌ଏମ୍‌ଏସ୍‌ ଭଳି ଅନ୍‌ଲାଇନ ମୋଡ୍‌ରେ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧ କ୍ରାଇମ୍‌ ସିନ୍‌ର ଭିଡିଓଗ୍ରାଫିକୁ କରାଯିବ ବାଧ୍ୟତାମୂଳକ । ବର୍ତ୍ତମାନର ସମାଜରେ ପ୍ରଚଳିତ ଥିବା କେତେକ ସାମାଜିକ ବାସ୍ତବତା ଏବଂ ଅପରାଧକୁ ରୋକିବାରେ ଏହା ସହାୟକ ହେବା ସହ ନ୍ୟାୟପାଳିକାକୁ ପ୍ରଭାବୀ କରିବାରେ ଯୋଗାଇଦେବ  ଉପଯୁକ୍ତ ବ୍ୟବସ୍ଥା। ସେହିପରି ନୂଆ ଆଇନ ଅନୁଯାୟୀ ଆପରାଧିକ ମାମଲାରେ ଶୁଣାଣି ଶେଷ ହେବାର ୪୫ ଦିନ ମଧ୍ୟରେ ଆସିବ ରାୟ । ପ୍ରଥମ ଶୁଣାଣିର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍‌ ହେବ ବାଧ୍ୟତାମୂଳକ । ବଳାତ୍କାର ପୀଡ଼ିତାଙ୍କ ବୟାନ ରେକର୍ଡ କରିବେ ଜଣେ ମହିଳା ପୋଲିସ ଅଧିକାରୀ। ଏହି ସମୟରେ ଉପସ୍ଥିତ ରହିବେ ପୀଡ଼ିତାଙ୍କ ଅଭିଭାବକ କିମ୍ବା ସମ୍ପର୍କୀୟ। ୭ ଦିନ ମଧ୍ୟରେ ଦେବାକୁ ହେବ  ଡାକ୍ତରୀ ରିପୋର୍ଟ।  ନୂଆ ଆଇନରେ ମହିଳା ଏବଂ ଛୋଟ ପିଲାଙ୍କ ପ୍ରତି ଅପରାଧକୁ ଏକ ନୂଆ ଅଧ୍ୟାୟରେ କରାଯାଇଛି ସାମିଲ । ଶିଶୁ କିଣାବିକାକୁ ଏଥିରେ ଜଘନ୍ୟ ଅପରାଧ ବୋଲି ଦର୍ଶାଯାଇଛି। ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଗାରଦଣ୍ଡର ରହିଛି ବ୍ୟବସ୍ଥା। ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ, ହତ୍ୟା ଏବଂ ରାଷ୍ଟ୍ର ବିରୋଧୀ ଅପରାଧକୁ ନୂଆ ଆଇନରେ ଦିଆଯାଇଛି ପ୍ରାଧାନ୍ୟ ।

What's Your Reaction?

like

dislike

love

funny

angry

sad

wow